ପ୍ରକୃତି
ଆଚ୍ଛା, କେବେ ଭାବି ଛନ୍ତି ପ୍ରକୃତରେ ପ୍ରକୃତି କ'ଣ?
ଏହି ମୂଲ୍ୟହୀନ ଜୀବନରେ ପ୍ରକୃତିର ମୂଲ୍ୟ କ'ଣ?
ଶୁଣନ୍ତୁ, ମୁଁ କହୁଛି ପ୍ରକୃତିର କାହାଣୀ,
ବଳିଦାନର ଏକ ଅନ୍ୟତମ ଚାହାଣୀ।
ପ୍ରକୃତି, ହେଉଛି ପ୍ରତିଟି ଗାଥାର ସାକ୍ଷୀ,
ଭିନ୍ନ ଭିନ୍ନ ମଣିଷର ସେ ଏକମାତ୍ର ଆଖି।
ଯିଏ ହାରି ଯାଇଛି, ପ୍ରକୃତି ତା’ ପାଇଁ ଅନ୍ଧାର ରାତି,
ଯିଏ ଜିତି ଚାଲିଛି, ପ୍ରକୃତି ତା’ ପାଇଁ ଖରାର ତାତି।
ଯିଏ ବଞ୍ଚିବାକୁ ଚାହେଁ, ପ୍ରକୃତି ତା’ ପାଇଁ କଅଁଳ ପାହାନ୍ତି,
ଯିଏ ଅନୁତାପ କରେ, ପ୍ରକୃତି ତା’ ପାଇଁ ସନ୍ଧ୍ୟାର ଭ୍ରାନ୍ତି।
ଦୁଃଖରେ, ମଣିଷର ପତ୍ରଝଡ଼ା ହୁଏ ସାଥି,
ସୁଖ ଅଟେ ବର୍ଷର ପ୍ରଥମ ବର୍ଷା, ଯେମିତି।
ଥୁଣ୍ଟା ବରଗଛ ଟିଏ ପ୍ରକୃତି ତା’ ପାଇଁ ଯିଏ ଅପେକ୍ଷାରତ ଅଛି,
ଯିଏ ଆଗକୁ ବଢ଼ିଚାଲିଛି, ପ୍ରକୃତି ତା’ ପାଇଁ ବିଧ୍ୱଂସ ପାଲଟିଛି।
କିନ୍ତୁ, ସବୁକୁ ଆପଣେଇଥିବା ପ୍ରକୃତି, ଆଜି କାନ୍ଦୁଛି କାହିଁ?
ତେବେ କିଏ ସେ ଦୋଷୀ, ଏହି ସର୍ବହରା ପ୍ରକୃତି ପାଇଁ?
କେଉଁ ଦାନବ ଟି ପ୍ରକୃତିକୁ ଲୁଟି ଚାଲିଛି?
ନେଇ ଚାଲିଛି, ସିନା ଦେବାକୁ ଭୁଲିଯାଉଛି।
କ'ଣ ସେ ଜାଣିନି, ବସି ଖାଇଲେ ନଈର ବାଲି ସରିଯାଏ ବୋଲି?
ନା, ପ୍ରକୃତି ଆଗରେ କୃତ୍ରିମ ପାଲଟିଛି, ତା ପାଇଁ ଅନ୍ଧ ପୁଟୁଳି ଭଳି।
ତେବେ, ସେ ବୋଧେ ଭୁଲିଗଲା ତା’ର ସୃଷ୍ଟି କିପରି!
କଣ ସେ ପାରିବ, ନିଜ ହାତରେ ପଞ୍ଚଭୂତ କୁ ଗଢ଼ି?
ହଁ, ମାନୁଛି! ବିଜ୍ଞାନ ବଳରେ ସେ ଅସମ୍ଭବ କୁ ସମ୍ଭବ କରିପାରିବ,
କିନ୍ତୁ ଛାଇ କିଏ ଦେବ, ଯେତେବେଳେ ସେ ଅଧା ବାଟରେ ଥକି ପଡ଼ିବ?
ବିଜ୍ଞାନ ବଳରେ ସେ ପ୍ରଥମ ବର୍ଷାରେ ଭିଜା ମାଟିର ବାସ୍ନା ଫେରାଇ ଆଣିପାରିବ?
ନା, ଅଣ ନିଃଶ୍ୱାସୀ ହେଲେ, ବିନା ଚିକିତ୍ସାରେ ସେ ଶାନ୍ତିରେ ନିଶ୍ୱାସ ମାରିପାରିବ?
ତେବେ, ମୁଁ ଜାଣିଛି, ମୋର ଏହି ପ୍ରଶ୍ନଗୁଡ଼ିକ ବ୍ୟର୍ଥ ହୋଇଯିବ,
ଯାହାକୁ ମା’ର କାନ୍ଦ ଶୁଭୁନି, ସେ ଏହା କେମିତି ଶୁଣି ପାରିବ?
ତଥାପି, ମୁଁ ପ୍ରଶ୍ନ କରୁଛି ପ୍ରକୃତିର ପ୍ରତ୍ୟେକ ପ୍ରାଣୀକୁ,
ବିଶେଷ କରି ଦାନବ ରୂପୀ ଏହି ମାନବ ଜାତିକୁ।
ଆମେ ପରା ପ୍ରକୃତିର ସର୍ବଶ୍ରେଷ୍ଠ ସୃଷ୍ଟି,
କିନ୍ତୁ ଆମେ ହିଁ କରୁଛୁ ତାହାର ନଷ୍ଟି।
କଣ ସ୍ୱାର୍ଥ ପାଇଁ, ନିଜେ ହିଁ ନିର୍ମାତା ସାଜି,
ଦାତାଙ୍କୁ ମାରିଦେବା ଠିକ୍?
ଥରେ ଭାବନ୍ତୁ!
ପ୍ରକୃତିର ଶବର ଛାତିରେ ଠିଆହୋଇ,
ଏହି କୃତ୍ରିମ ଦୁନିଆରେ ବଞ୍ଚିବା
କେତେ ଯେ ସଠିକ୍?
@_achutam_sunayana_
Информация по комментариям в разработке