ll କାଳୀୟଦଳନ ଏକାଦଶୀ ବା ଅଜା ଏକାଦଶୀ ll

Описание к видео ll କାଳୀୟଦଳନ ଏକାଦଶୀ ବା ଅଜା ଏକାଦଶୀ ll

⚫❗⚫
ll କାଳୀୟଦଳନ ଏକାଦଶୀ ବା
ଅଜା ଏକାଦଶୀ ll

ଭାଦ୍ରପଦ କୃଷ୍ଣ ଏକାଦଶୀକୁ କାଳୀୟଦଳନ ଏକାଦଶୀ ବା ଅଜା ଏକାଦଶୀ କୁହାଯାଏ ଏହାର ଅନ୍ୟ ନାମ ମଧ୍ୟ ଅନ୍ନଦା ଏକାଦଶୀ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯାଇଥାଏ ।ଏହି ଏକାଦଶୀ ବ୍ରତ କରିବାଦ୍ୱାରା ସମସ୍ତ ପାପ ନାଶ ହୋଇଯାଏ । ଯେଉଁ ବ୍ୟକ୍ତି ଏହିଦିନ ଭଗବାନ ଋଷିକେଶଙ୍କୁ ପୂଜା କରିବ ବୈକୁଣ୍ଠ ପ୍ରାପ୍ତି ଅବଶ୍ୟ କରିପାରିବ ବୋଲି ମଧୁସୂଦନ ଯୁଧିଷ୍ଠିରଙ୍କୁ କହିଛନ୍ତି ।

ଏହି ଏକାଦଶୀର ମାହାତ୍ମ୍ୟ ହେଉଛି ପ୍ରାଚୀନ କାଳରେ ରାଜା ହରିଶ୍ଚନ୍ଦ୍ର ତଥା ଚକ୍ରବର୍ତ୍ତୀ ରାଜା ଶାସନ କରୁଥିଲେ । ସେ ବିଶ୍ୱାମିତ୍ରଙ୍କୁ ନିଜର ସମସ୍ତ ସମ୍ପତ୍ତି, ରାଜ୍ୟ ଦାନ କରିବାପରେ ଦକ୍ଷିଣା ଦେବା ନିମନ୍ତେ ନିଜ ପରିବାରକୁ ମଧ୍ୟ ବିକ୍ରି କରିଦେଲେ । ଫଳରେ ସେ ଚଣ୍ଡାଳର ଦାସ ହୋଇ ସତ୍ୟକୁ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ । କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହେଉ ନଥିଲେ । କ’ଣ କରିବେ, କୁଆଡ଼େ ଯିବେ ଏବଂ କିପରି ଉଦ୍ଧାର ହେବେ ଇତ୍ୟାଦି ଚିନ୍ତାର ସମୁଦ୍ରରେ ସେ ସର୍ବଦା ଘେରି ହୋଇ ରହୁଥିଲେ । ଏମିତି କେତେବର୍ଷ ଗଲା ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବାବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ । ରାଜା ତାଙ୍କୁ ପ୍ରଣାମ କରି ତାଙ୍କର ବେଦନା ଜଣାଇଲେ । ଋଷି ତାଙ୍କୁ ଅଜା ଏକାଦଶୀ ବ୍ରତ କରିବାକୁ ପାଇଁ କହିଲେ । ଭାଦ୍ରପଦ କୃଷ୍ଣପକ୍ଷରେ ବିଧିବଦ୍ଧ ଭାବେ ଏହିବ୍ରତ କଲେ ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ଏତିକି କହି ଗୌତମ ଋଷି ଅନ୍ତର୍ଦ୍ଧାନ ହୋଇଗଲେ । ଋଷିଙ୍କ କହିବାନୁସାରେ ରାଜା ବ୍ରତ ପାଳନ କଲେ । ବ୍ରତ କରିବାଦ୍ୱାରା ରାଜାଙ୍କର ସମସ୍ତ ପାପ ନଷ୍ଟ ହେଲା । ନିଜ ପୁତ୍ର ଓ ପତ୍ନୀ ସହ ରାଜ୍ୟର ସମସ୍ତ ଧନ ସେ ଫେରିପାଇଲେ । ଶେଷରେ ସେ ସମସ୍ତ ପାପରୁ ମୁକ୍ତି ହୋଇ ସ୍ୱର୍ଗଲୋକ ଗମନ କଲେ ।

ll ଭାଦ୍ରବ କୃଷ୍ଣ ଅନ୍ନଦା (ଅଜା ବା କାଳୀୟଦଳନ)ଏକାଦଶୀ ମାହାତ୍ମ୍ୟ ll

ll ଯୁଧିଷ୍ଠିର ଉବାଚ ll

କହନ୍ତି ଯୁଧୁଷ୍ଠିର ଦେବ l ଶୁଣନ୍ତୁ ପ୍ରଭୁ ବାସୁଦେବ ll
ଭାଦ୍ରବ କୃଷ୍ଣ ଏକାଦଶୀ l କେଉଁ ନାମରେ ତାକୁ ଭାଷି ll
ବିଶେଷି ଶୁଣିବାକୁ ମନ l କହିବା ହେଉ ଜନାର୍ଦ୍ଦନ ll

ll ଶ୍ରୀକୃଷ୍ଣ ଉବାଚ ll

ଶୁଣ ହୋଇଣ ସାବଧାନ l ଏ ଏକାଦଶୀ ଅଜା ନାମ ll
ଏସର୍ବ ପାପ ପ୍ରକାଶିନୀ l ସମସ୍ତ ଶୁଭ ପ୍ରଦାୟିନୀ ll
ଏ ବ୍ରତ କରି ହୃଷିକେଶ l ପୂଜା ଯେ କରିବ ନରେଶ ll
ତାର ସମସ୍ତ ପାପ ନାଶ l ହୁଅଇ ଶ୍ରବଣେ ବିଶେଷ ll
ଦୁଇଲୋକରେ ହିତ ପାଇ l ଏଥିରୁ ପରବ୍ରତ ନାହିଁ ll
ଏ ସତ୍ୟ ଶୁଣ ନରନାଥ l ନୁହଁଇ ମିଥ୍ୟ ମୋ ଭାଷିତ ll
ଥିଲା ଯେ ପୂର୍ବେ ନରନାଥ l ନାମରେ ହରିଶ୍ଚନ୍ଦ୍ର ଖ୍ୟାତ ll
ଯେ ଚକ୍ରବର୍ତ୍ତୀ ସତ୍ୟସନ୍ଧ l ଦାନୀ ଦୟାକୁ ଗୁଣେ ସିଦ୍ଧ ll
ସେ ପୂର୍ବ ଦୁଷ୍କର୍ମର ବଳେ l ରାଜ୍ୟ ସମ୍ପଦ ଭ୍ରଷ୍ଟ ହେଲେ ll
ପୁତ୍ର ପତ୍ନୀକି ବିକି ଦେଲେ l ଆପେହିଁ ବିକ୍ରୀତ ହୋଇଲେ ll
ପୁଣ୍ୟର ପାଇଁ ସେ ନୃପତି l ତସ୍କର ଦାସ କଲେ ବୃତ୍ତି ll
ସତ୍ୟକୁ ଅବଲମ୍ବ କରି l ମୃତ ବେଳ ସେ ଅପହରି ll
ଦୁଃସହ ଦୁଃଖ ଆଦରିଲେ l ସତ୍ୟକୁ ରାଜା ନ ଛାଡ଼ିଲେ ll
ସତ୍ୟକୁ ପାଳି ନରସାଇଁ l ବହୁତ ଦୁଃଖ ନେଲେ ସହି ll
ଏକଦା ବହୁ ଦୁଃଖ ପାଇ l ଦୁଃଖିତ ହେଲେ ନରସାଇଁ ll
କାହିଁ ମୁଁ ଯିବି କି କରିବି l କି ରୂପେ ନିଷ୍କୃତି ଲଭିବି ll
ଏ ରୂପେ ରାଜା ଚିନ୍ତା ଜାଣି l ଅଇଲେ କେହୁ ଜ୍ଞାନୀ ମୁନି ll
ଯେଣୁ ଏ ବ୍ରହ୍ମ ବଛା ନିଷ୍ଠ l ପରର ଉପକାରେ ସୃଷ୍ଟ ll
ମୁନିବରକୁ ଦେଖି ରାଜା l ଅଞ୍ଜଳି ଯୋଡ଼ି କଲେ ପୂଜା ll
କହିଲେ ତାଙ୍କ ଅଗ୍ରେ ଥାଇ l ଆପଣା ଦୁଃଖେ ଦୁଃଖୀ ହୋଇ ll
ଶୁଣି ନୃପତି ଦୁଃଖମନ l ବିସ୍ମିତ ହେଲେ ସେ ଗୌତମ ll
ନୃପକୁ ଦେଲେ ଉପଦେଶ l ସେ ଅଜା ବ୍ରତର ବିଶେଷ ll
ଭାଦ୍ରବ କୃଷ୍ଣ ଏକାଦଶୀ l ନାମେ ଯାହାକୁ ଅଜା ଭାଷି ll
କର ଏ ଏକାଦଶୀ ବ୍ରତ l ସମସ୍ତ ପାପ ହେବ ହତ ll
ତୁମ୍ଭରି ଭାଗ୍ୟ ନର ଦେବ l ଏଥୁ ସପ୍ତମ ଦିନେ ନେବ ll
ପ୍ରାତଃ କାଳରୁ ସ୍ନାନ କରି l ସଂକଳ୍ପ ବିଧିକୁ ଆଚରି ll
ଉପବାସରେ ତତପର l ହେବ ହୋଇଣ ଉଜାଗର ll
ଦ୍ୱାଦଶୀ ଦିନ ଦିନକର l ଉଦୟ ଦେଖି ନୃପବର ll
ସ୍ନାନ ସାରିଣ ଆନନ୍ଦରେ l ପୂଜିବ ବ୍ରହ୍ମାଙ୍କୁ ଆଦରେ ll
ଭଗବାନଙ୍କ ପୂଜା ସାରି l କରିବ ହବିଷ୍ୟ ଆଚରି ll
ଏ ରୂପେ ବ୍ରତ ପୂର୍ଣ୍ଣ କଲେ l ପାତକ କ୍ଷୟ ହେବ ଭଲେ ll
ତୁମ୍ଭର ପୂଣ୍ୟ ଜାଣିନାହିଁ l ତପୋବଳରୁ ଅଇଲଇଁ ll
ଧ୍ୟାନରେ ତୁମ୍ଭ ଦୁଃଖ ଦେଖି l ଅଇଲି ଯୋଗ ମୁଁ ଉପେକ୍ଷି ll
ଗୌତମ ମୁନି ଏହା କହି l ଗଲେ ସେ ଅନ୍ତର୍ଦ୍ଧାନ ହୋଇ ll
ନୃପତି ମୁନି ବାକ୍ୟ ଶୁଣି l କଲେ ସେ ଅଜାବ୍ରତ ପୁଣି ll
ହୁଅନ୍ତେ ପୂର୍ଣ୍ଣ ଅଜା ବ୍ରତ l ହେଲା ରାଜାର ପାପ ଅନ୍ତ ll
ଶୁଣ ଏ ବ୍ରତର ପ୍ରଭାବ l ଯେ ବହୁ କାଳ କ୍ଷୟ ଯିବ ll
ପାପ ଏ ପୂର୍ଣ୍ଣ କ୍ଷଣ ମାତ୍ରେ l କ୍ଷୟ ହୁଅଇ ଜାଣି ଶାସ୍ତ୍ରେ ll
ଏ ବ୍ରତ କରି ହରି ପୂଜା l ବିସ୍ତୀର୍ଣ୍ଣ ଦୁଃଖ ହେଲେ ରାଜା ll
ପତ୍ନୀର ସଙ୍ଗତେ ହୋଇଲେ l ପୁତ୍ରର ଜୀବନ ପାଇଲେ ll
ଦେବି ଦୁନ୍ଦୁଭିଘୋଷ ହେଲା l ଆକାଶୁ ପୁଷ୍ପ ବରଷିଲା ll
ଏ ବ୍ରତ ପ୍ରଭାବୁ ନୃପତି l ପାଇଲେ ନିଷ୍କଣ୍ଟକକ୍ଷତି ll
ସ୍ୱର୍ଗ ପାଇଲେ ହରିଶ୍ଚନ୍ଦ୍ର l ସ୍ୱପୁର ସହଚର ବୃନ୍ଦ ll
କୃଷ୍ଣ କହନ୍ତି ଯୁଧିଷ୍ଠିର l ଇଦୃଶ ବ୍ରତେ ଯେଉଁ ନର ll
କରଇ ସେ ପାପୁ ଉଦ୍ଧାର l ହୋଇ ଲଭଇ ସ୍ୱର୍ଗପୁର ll
ଏହାକୁ ପଢିଲେ ଶୁଣିଲେ l ଅଶ୍ୱମେଧର ଫଳ ମିଳେ ll

ଇତି ଶ୍ରୀ ବ୍ରହ୍ମବୈବର୍ତ୍ତ ପୁରାଣେ ଭାଦ୍ରବ କୃଷ୍ଣ ଅଜୈକାଦଶୀ ମହାତ୍ମ୍ୟେ ଊନବିଂଶୋଽଧ୍ୟାୟଃ ll

Комментарии

Информация по комментариям в разработке